ସରକାରୀ କାର୍ଯ୍ୟାଳୟରେ ଦଳୀୟ ବୈଠକ

  • ବିବାଦରେ ଭଦ୍ରକ ବିଧାୟକ,
  • ସିଡିଓଙ୍କ ଭୂମିକା ଉପରେ ଉଠିଲା ପ୍ରଶ୍ନ

ଭଦ୍ରକ : ସରକାରୀ କାର୍ଯ୍ୟାଳୟ ଓ ସମ୍ପତ୍ତିକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଥିବା ବେଳେ ଭଦ୍ରକରେ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ଖୋଦ୍ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର (ଯିଏ କି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବି ଅଛନ୍ତି) ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଏକ ସମୀକ୍ଷା ସମ୍ମିଳନୀ କକ୍ଷ (ବୈଠକ ପରିଚାଳନା କେନ୍ଦ୍ର) ଭିତରେ ନିଜ ଦଳର ଏକ ସାଂଗଠନିକ ବୈଠକ କରି ବିବାଦ ଘେରକୁ ଆସିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନିୟମ ଉଲ୍ଲଂଘନର ପ୍ରମାଣ ନିଜେ ବିଧାୟକ ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯାହା ପ୍ରଶାସନିକ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ବିଧାୟକଙ୍କ ପୋଷ୍ଟ ଅନୁଯାୟୀ, ଭଦ୍ରକ ନିର୍ବାଚନ ମଣ୍ଡଳୀର ଗେଲପୁଆ, ବ୍ରହ୍ମପୁର ଓ ଗୋରାମାଟି ପଞ୍ଚାୟତର ଦଳୀୟ ନେତୃତ୍ୱ ଓ କର୍ମୀମାନଙ୍କୁ ନେଇ ସଂଗଠନ ସୁଦୃଢ଼ତା ଏବଂ ବୁଥ୍ ସଶକ୍ତିକରଣ ଭଳି ସମ୍ପୂର୍ଣ୍ଣ ରାଜନୈତିକ ଏବଂ ଦଳୀୟ ଏଜେଣ୍ଡା ଉପରେ ସରକାରୀ କକ୍ଷରେ ବସି ଆଲୋଚନା କରାଯାଇଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା ନିର୍ବାହୀ ଅଧିକାରୀଙ୍କ ଭୂମିକାକୁ ନେଇ ତୀବ୍ର ସମାଲୋଚନା ଆରମ୍ଭ ହୋଇଛି। ଗୋଟିଏ ରାଜନୈତିକ ଦଳର ଆଭ୍ୟନ୍ତରୀଣ ସାଂଗଠନିକ ଏବଂ ବୁଥ୍ ସ୍ତରୀୟ ପ୍ରସ୍ତୁତି ବୈଠକ ପାଇଁ ଏକ ସରକାରୀ କାର୍ଯ୍ୟାଳୟର କକ୍ଷକୁ କିପରି ଏବଂ କେଉଁ ଆଧାରରେ ଅନୁମତି ଦିଆଗଲା, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ କଳ କ’ଣ କ୍ଷମତାସୀନ ରାଜନେତାଙ୍କ ଚାପରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଛି କିମ୍ବା ଅଧିକାରୀମାନେ ଜାଣିଶୁଣି ଏହି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ବିନା ଅନୁମତିରେ ଯଦି ଏହି ବୈଠକ ହୋଇଛି, ତେବେ ପ୍ରଶାସନ କାହିଁକି ନୀରବଦ୍ରଷ୍ଟା ସାଜିଛି ଏବଂ ଯଦି ଅନୁମତି ଦିଆଯାଇଛି, ତେବେ ନିୟମକୁ କିପରି ଓ କେଉଁ ସ୍ବାର୍ଥରେ ଅଣଦେଖା କରାଗଲା ତାହାର ସ୍ପଷ୍ଟୀକରଣ ସିଡିଓ ସାର୍ବଜନୀନ ଭାବେ ରଖିବା ନିତାନ୍ତ ଆବଶ୍ୟକ।
ଗଣତନ୍ତ୍ରରେ ସରକାରୀ ପ୍ରତିଷ୍ଠାନଗୁଡ଼ିକର ନିରପେକ୍ଷତା ବଜାୟ ରହିବା ଜରୁରୀ। ମାତ୍ର ଭଦ୍ରକରେ ସରକାରୀ କାର୍ଯ୍ୟାଳୟକୁ ଦଳୀୟ କାର୍ଯ୍ୟାଳୟରେ ପରିଣତ କରିବାର ଯେଉଁ ଖୋଲା ପ୍ରୟାସ ହୋଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ନିଜ ଆକାଉଣ୍ଟରେ ଏହି ଛବି ସେୟାର କରି ବିଧାୟକ ପରୋକ୍ଷରେ ଦର୍ଶାଇ ଦେଇଛନ୍ତି ଯେ ନିୟମ କାନୁନ କେବଳ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, କ୍ଷମତାରେ ଥିବା ନେତାଙ୍କ ପାଇଁ ନୁହେଁ। ଏହି ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସରକାରୀ କାର୍ଯ୍ୟାଳୟର ଗାରିମା କ୍ଷୁର୍ଣ୍ଣ କରିଥିବା ତଥା ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷ ଏବଂ ଏଥିରେ ସହଯୋଗ କରିଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ପ୍ରଶାସନିକ ବ୍ୟବସ୍ଥା ଉପରୁ ସାଧାରଣ ଜନତାଙ୍କର ଭରସା ସମ୍ପୂର୍ଣ୍ଣ ରୂପେ ତୁଟିଯିବ।

Leave a Reply

Your email address will not be published. Required fields are marked *